Spread the love

ଭୁବନେଶ୍ୱର: ‘ମାଘ ମାସରେ ବାଘ ଶୀତ…’, ଏହା କେବଳ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ । ଫେବୃଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଦେଖାଦେଲାଣି ବାଘ ଖରା । କମ୍ବଳ ଗାଏବ ହୋଇଗଲାଣି । ସ୍ଥିତି ଏମିତି ହେଲାଣି କି ଫେବୃଆରୀ ମାସରେ ତାପମାତ୍ରା 36 ପାର୍ ହେଲାଣି । ହଠାତ୍ ଗ୍ରୀଷ୍ମର ପ୍ରକୋପ ବଢିଛି । ଖରାରେ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ।

ଗତକାଲି ରାଜ୍ୟର ଦୁଇଟି ସ୍ଥାନର ତାପମାତ୍ରା 36 ଡ଼ିଗ୍ରୀ ପାର୍‌ କରିଯାଇଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ 36 ଡ଼ିଗ୍ରୀ ଅତିକ୍ରମ କରିଛି ଦିନର ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା 36.5 ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଏଥି ସହିତ 5ଟି ସହରର ତାପମାତ୍ରା 35 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ବଲାଙ୍ଗୀର ରେ 35.9 ଡିଗ୍ରୀ, ବୌଦ୍ଧ ରେ 35.5 ଡିଗ୍ରୀ, ଝାରସୁଗୁଡା 35.4 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 34.4 ଡିଗ୍ରୀ, ପାରଳାଖେମୁଣ୍ଡି ଏବଂ ସୋନପୁର ରେ 34.8, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରି ରେ 34.7, ନୟାଗଡ଼ ରେ 34.5, ରାୟଗଡା ରେ 34.2, ଅନୁଗୁଳ 34.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢିବ । ସ୍ୱାଭାବିକ ଠାରୁ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ।


Spread the love