Spread the love

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହୋଇଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଏହି MoU ଗୁଡିକ ଜରିଆରେ ସମୁଦାୟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ୟ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି । ଏହା ଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି (Inclusive Growth) ହୋଇପାରିବ ।


Spread the love