ବ୍ୟାଙ୍କ ଜରିଆରେ ବୀମାର ଭୁଲ ବିକ୍ରି (ମିସ୍ ସେଲିଂ)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ମିସ୍ ସେଲିଂ ହେଉଛି ଯେଉଁ ଗ୍ରାହକଙ୍କ ପାଇଁ ଯେଉଁ ବୀମା ଦରକାର ନୁହେଁ.
ବ୍ୟାଙ୍କ ଜରିଆରେ ବୀମାର ଭୁଲ ବିକ୍ରି (ମିସ୍ ସେଲିଂ)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ମିସ୍ ସେଲିଂ ହେଉଛି ଯେଉଁ ଗ୍ରାହକଙ୍କ ପାଇଁ ଯେଉଁ ବୀମା ଦରକାର ନୁହେଁ, ତାହା ତାଙ୍କୁ ଯେକୌଣସି ପ୍ରକାରରେ ବୁଝାଇଶୁଝାଇ ବିକ୍ରି କରିବା। ଟାର୍ଗେଟ୍ ପୂରଣ କରିବା ଲାଗି ବ୍ୟାଙ୍କଗୁଡ଼ିକରେ ବୀମାର ଭୁଲ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ଆର୍ଥିକ ସେବା ଉତ୍ପାଦ, ବିଶେଷ କରି ବୀମା ପଲିସିକୁ ବ୍ୟାପକ ଭାବେ ମିସ୍ ସେଲିଂ କରୁଛନ୍ତି। ଏହା ଗ୍ରାହକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତାହା ଗ୍ରାହକଙ୍କ ଆର୍ଥିକ ସ୍ଥିତିକୁ ବିଗାଡ଼ୁଥିବା ବେଳେ ଋଣ ଖର୍ଚ୍ଚ ବଢ଼ାଉଛି ବୋଲି ସେ କହିଛନ୍ତି। ବ୍ୟାଙ୍କଗୁଡ଼ିକ ନିଜ କାରବାରକୁ ପ୍ରାଥମିକତା ଦେବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଏହି ପ୍ରସଙ୍ଗରେ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ମୁଖ୍ୟ ଦେବାଶିଷ ପଣ୍ଡା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନିଜ କାମ ଉପରେ ଧ୍ୟାନ ଦେବାକୁ କହିବା ସହ ମିସ୍ ସେଲିଂରୁ ବିରତ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ବୀମା ପହଞ୍ଚାଇବା ଲାଗି ବ୍ୟାଙ୍କାସ୍ୟୁରାନ୍ସ ଏକ ବହୁତ ଭଲ ମାଧ୍ୟମ। କିନ୍ତୁ ବ୍ୟାଙ୍କଗୁଡ଼ିକ ଭୁଲ ବୀମା ଉତ୍ପାଦ ବିକ୍ରି କରିବା ଅନୁଚିତ। ସେ କହିଛନ୍ତି ଯେ ଗ୍ରାହକମାନଙ୍କ ସହ ବ୍ୟାଙ୍କଗୁଡ଼ିକର ସମ୍ପର୍କ ପିଢ଼ି ପିଢ଼ି ଧରି ରହିଛି। ବ୍ୟାଙ୍କ ସେମାନଙ୍କୁ ଉଚିତ ମୂଲ୍ୟରେ ସଠିକ୍ ଉତ୍ପାଦ ଦେବ ବୋଲି ଲୋକଙ୍କ ବିଶ୍ବାସ ରହିଛି। ବୀମା ପଲିସି ମିସ୍ ସେଲିଂର ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଲାଗି ଆମକୁ ମିଳିତ ଭାବେ ବସି ଆଲୋଚନା କରିବାକୁ ପଡ଼ିବ। ବୀମା ପଲିସି ବିକିବା ଲାଗି ଲୋକଙ୍କ ପଛରେ ଗୋଡ଼ାଇବା ଦରକାର ନାହିଁ। ସେମାନଙ୍କୁ କେବଳ ଏକ ବିକଳ୍ପ ଦେବାର ଅଛି ବୋଲି କହିଛନ୍ତି।
ବୀମା ପଲିସିର ମିସ୍ ସେଲିଂକୁ ନେଇ ଅତୀତରେ ମଧ୍ୟ ଅଭିଯୋଗ ଆସିଥିଲା। ନିଜ ସଞ୍ଚୟ ରାଶିକୁ ବୀମା ପଲିସିରେ ନିବେଶ କରିବା ଲାଗି ବ୍ୟାଙ୍କଗୁଡ଼ିକ ବରିଷ୍ଠ ନାଗରିକମାନଙ୍କୁ କହୁଥିବା ଜଣାପଡ଼ିବା ପରେ ଉଦବେଗ ପ୍ରକାଶ ପାଇଥିଲା। ପୁଣି ଥରେ ବୀମା ମିସ୍ ସେଲିଂକୁ ନେଇ ଖୋଦ୍ ଅର୍ଥମନ୍ତ୍ରୀ ଆପତ୍ତି ଉଠାଇବା ପରେ ଘରୋଇ ବୀମା କମ୍ପାନିଗୁଡ଼ିକର ସେୟାର ଷ୍ଟକ୍ ବଜାରରେ ହ୍ରାସ ପାଇଛି। କାରଣ ଘରୋଇ ବୀମା କମ୍ପାନିଗୁଡ଼ିକର ସିଂହ ଭାଗ ପଲିସି ବ୍ୟାଙ୍କ ଜରିଆରେ ବିକ୍ରି ହେଉଛି। ଏଚ୍ଡିଏଫ୍ସି ଲାଇଫ୍ର ୬୫ ପ୍ରତିଶତ, ଏସ୍ବିଆଇ ଲାଇଫ୍ର ୬୦ ପ୍ରତିଶତ, ମ୍ୟାକ୍ସ ଲାଇଫ୍ର ୫୨ ପ୍ରତିଶତ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ର ୨୯ ପ୍ରତିଶତ ଓ ଏଲ୍ଆଇସିର ୪ ପ୍ରତିଶତ ପଲିସି ବ୍ୟାଙ୍କ ଜରିଆରେ ବିକ୍ରି ହେଉଛି।