Spread the love

ନୂଆଦିଲ୍ଲୀ: ଦେଶର ରାଜନୈତିକ ମାନଚିତ୍ରରେ ଆସିପାରେ ବଡ଼ ପରିବର୍ତ୍ତନ। ଲୋକସଭା ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୫୦ ହେବା ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି। ମହିଳା ସଂରକ୍ଷଣ ଆଇନକୁ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ କରିବା ଲକ୍ଷ୍ୟରେ ସରକାର ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ୍ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ ବସିପାରେ। ଏହି ଅଧିବେଶନରେ ମହିଳା ସଂରକ୍ଷଣ ଲାଗୁ କରିବା ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌କୁ ପ୍ରାଥମିକତା ଦେବାକୁ ସରକାର ଚିନ୍ତା କରୁଛନ୍ତି।

ପ୍ରସ୍ତାବ ଅନୁଯାୟୀ, ନିର୍ବାଚନମଣ୍ଡଳୀର ପୁନର୍ଗଠନ ମାଧ୍ୟମରେ ଲୋକସଭା ଆସନ ସଂଖ୍ୟା ସର୍ବାଧିକ ୮୫୦କୁ ବୃଦ୍ଧି କରାଯାଇପାରେ। ଏହା ସହିତ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କାର୍ଯ୍ୟକାରୀ କରିବାର ରାସ୍ତା ଖୋଲିପାରେ।

ବିଲ୍‌ ପାରିତ ପାଇଁ ବିରୋଧୀଙ୍କ ସମର୍ଥନ ଜରୁରୀ

ତେବେ ଏହି ପ୍ରସ୍ତାବକୁ ସଂସଦରେ ପାରିତ କରାଇବା ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ, ସମ୍ବିଧାନ ସଂଶୋଧନ ବିଲ୍‌ ପାସ୍ କରିବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ସାଂସଦଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ଏନ୍‌ଡିଏ ପାଖରେ ପ୍ରାୟ ୩୨୦ ସଦସ୍ୟଙ୍କ ସମର୍ଥନ ଥିବାରୁ ବିଲ୍‌ ପାରିତ କରିବା ପାଇଁ ବିରୋଧୀ ଦଳଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ହେବ।

ଦକ୍ଷିଣ ଭାରତୀୟ ରାଜ୍ୟଙ୍କ ଚିନ୍ତା ଦୂର କରିବାକୁ ନୂଆ ଫର୍ମୁଲା

ଡିଲିମିଟେସନ୍‌କୁ ନେଇ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର କରିବାକୁ କେନ୍ଦ୍ର ସରକାର ଏକ ବିକଳ୍ପ ଫର୍ମୁଲା ଉପରେ ବିଚାର କରୁଥିବା ଜଣାପଡ଼ିଛି। ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ାଇବା ସହ ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଆସନ ଅନୁପାତକୁ ଅପରିବର୍ତ୍ତିତ ରଖିବାର ପ୍ରସ୍ତାବ ରହିଛି। ତେବେ ଏ ସମ୍ପର୍କରେ ଏଯାବତ୍ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏସ୍‌ଆଇଆର୍‌କୁ ନେଇ ସଂସଦରେ ହୋଇପାରେ ହଙ୍ଗାମା

ଅନ୍ୟପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବଢ଼ିଛି। ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ସଂସଦରେ ହଟ୍ଟଗୋଳ କରିପାରନ୍ତି। ଫଳରେ ଡିଲିମିଟେସନ୍ ଓ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଏବଂ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏବେ ସମସ୍ତଙ୍କ ନଜର ଆଗାମୀ ସଂସଦୀୟ ଅଧିବେଶନ ଉପରେ। ଲୋକସଭା ଆସନ ବୃଦ୍ଧି, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନକୁ ନେଇ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


Spread the love