Spread the love

ପେଟିଏମ୍‌ରେ ଚାଲିଥିବା ସଙ୍କଟ ଶେଷ ହେବାର ନାମ ଧରୁନାହିଁ। ଏବେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ବିରୋଧରେ ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଇଡିକୁ ପେଟିଏମ୍‌ର ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ପେଟିଏମ ପେମେଣ୍ଟସ ବ୍ୟାଙ୍କରେ ହୋଇଥିବା ସନ୍ଦିଗ୍ଧ ନିୟମ ଉଲ୍ଲଂଘନର ଯାଞ୍ଚ କରିବାକୁ କହିଛନ୍ତି। ସୋମବାର ଇଡି କମ୍ପାନୀ ପରିଚାଳନାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମନିଲଣ୍ଡରିଂ ମାମଲା ଏବଂ ପେଟିଏମ୍‌ରେ ଚାଇନାର ଅର୍ଥ ଲାଗିଥିବା ଅଭିଯୋଗର ତଦନ୍ତ କରିବ ଇଡି।

ସେପଟେ ଏସବୁ କାର୍ଯ୍ୟାନୁଷ୍ଠାନ ଯୋଗୁ ଲଗାତାର ଭାବେ ପୁଞ୍ଜି ବଜାରରେ କମ୍ପାନୀର ଶେୟାର ହ୍ରାସ ପାଇବାରେ ଲାଗିଛି। ସୂଚନାଥାଉକି, ଜାନୁଆରୀରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମକୁ ବଡ଼ ଝଟକା ଲାଗିଛି। ଆରବିଆଇ ନିୟମ ଅନୁଯାୟୀ ଫେବ୍ରୁଆରୀ ୨୯ ପରଠାରୁ ପେମେଣ୍ଟସ ବ୍ୟାଙ୍କର ଅଧିକାଂଶ ସେବା ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ଏହି ଅନୁଯାୟୀ, ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ (ପିପିବିଏଲ), ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ ଉତ୍ପାଦ, ଓ୍ବାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍ ଜାରି କରିପାରିବନାହିଁ କିମ୍ବା ଜମା କରିପାରିବନାହିଁ।


Spread the love